Unknown

 

 

 

 

 

 

 

 

 

 

ଦାକ୍ଷିଣାତ୍ୟ-ଭ୍ରମଣର ସମାଲୋଚନା

ସ୍ୱଭାବକବି ଗଂଗାଧର ମେହେର

 

ଶ୍ରୀଯୁକ୍ତ ବାବୁ ଶଶିଭୂଷଣ ରାୟଙ୍କ ପ୍ରଣୀତ ଓ ପ୍ରକାଶିତ ‘ଦାକ୍ଷିଣାତ୍ୟ-ଭ୍ରମଣ’ ପୁସ୍ତକ ଖଣ୍ଡିଏ । ଅନୁଗ୍ରହ ଉପହାର ପାଇ ସକୃତଜ୍ଞ ଚିତ୍ତରେ ଗ୍ରହଣ କଲି । ଶଶିଭୂଷଣ ବାବୁଙ୍କର ଦକ୍ଷିଣାଞ୍ଚଳ ଭ୍ରମଣରୁ ପ୍ରତ୍ୟାବର୍ତ୍ତନ ବାର୍ତ୍ତା ଅନେକ ଦିନରୁ ଅବଗତ ହୋଇ ଭ୍ରମଣ-ବୃତ୍ତାନ୍ତ ସମ୍ବାଦପତ୍ରରେ ପାଠ କରିବାକୁ ଅତ୍ୟନ୍ତ ଉତ୍ସୁକ ଥିଲି । ତାହା ଏକାବେଳେ ପୁସ୍ତକାକାରରେ ପାଇ ଅପରିମେୟ ଆନନ୍ଦ ଲାଭ କଲି । ପୁସ୍ତକର ଆଦି ପୃଷ୍ଠା ଦେଖି ଶେଷ ପର୍ଯ୍ୟନ୍ତ ପାଠ ନକରି କୌତୂହଳ ସମ୍ବରଣ କରିପାରିଲି ନାହିଁ । ପୁସ୍ତକର ରଚନା ଯେପରି ମନୋହାରିଣୀ ହୋଇଅଛି, କାଗଜ ଓ ଛାପା ତଦନୁରୂପ ସୁନ୍ଦର ହୋଇଅଛି । ଛାପାରେ ଯଦିଓ ଅତ୍ୟଳ୍ପ ଭ୍ରମ ହୋଇଥିଲା, ଶୁଦ୍ଧିପତ୍ରଦ୍ୱାରା ତାହା ନିରାକୃତ ହୋଇଅଛି; ଯଦିଚ ଏକ ଦୁଇ ସ୍ଥାନରେ ଅଶୁଦ୍ଧି ରହିଯାଇଛି ତାହା ଶୁଦ୍ଧିରୂପେ ପଢ଼ିବାକୁ ପାଠକମାନଙ୍କୁ କିଛି ଆୟାସ ଲାଗିବନାହିଁ । ବାବୁ ମହାଶୟ କଟକରୁ ଯାତ୍ରା କରି ଭାରତର ଦକ୍ଷିଣ ପ୍ରାନ୍ତ କୁମାରିକା ଅନ୍ତରୀପ ପର୍ଯ୍ୟନ୍ତ ଯାଇଥିଲେ । ମାର୍ଗରେ ମାନ୍ଦ୍ରାଜ ପ୍ରଭୃତି ଯେଉଁସବୁ ପ୍ରଧାନ ପ୍ରଧାନ ସହର ଓ ନାନାବିଧ ଦୃଶ୍ୟ ଦେଖିଅଛନ୍ତି, ତାହା ସବୁ ସୁନ୍ଦର ଓ ବିଶଦରୂପେ ବର୍ଣ୍ଣିତ ହୋଇଅଛି । ଲେଖାରୁ କବିତା-ଛଟା ସ୍ପଷ୍ଟରୂପେ ପ୍ରକାଶ ପାଇଅଛି । ପୃଥିବୀରେ ସମସ୍ତେ ଦେଖି ଜାଣନ୍ତି ନାହିଁ; ଚର୍ମଚକ୍ଷୁର ଦର୍ଶନ ଅପେକ୍ଷା ଜ୍ଞାନଚକ୍ଷୁର ଦର୍ଶନ ଭିନ୍ନ ଧରଣର । ଚର୍ମଚକ୍ଷୁ ଓ ଜ୍ଞାନଚକ୍ଷୁର ଏକତାରେ ଯେଉଁମାନେ ଦେଖିପାରନ୍ତି, ସେମାନଙ୍କ ମଧ୍ୟରୁ ଅନେକେ ତାହା ଦେଖେଇ ପାରନ୍ତି ନାହିଁ । ଶଶିଭୂଷଣବାବୁ ଆପେ ଯାହା ଦେଖିଛନ୍ତି ତାହା ଅନ୍ୟକୁ ଦେଖାଇବା ନିମନ୍ତେ ଅସାଧାରଣ ନୈପୁଣ୍ୟ ପ୍ରକାଶ କରିଅଛନ୍ତି । ପୁସ୍ତକ ପାଠ କଲେ କବିଙ୍କ ଦର୍ଶିତ ସ୍ଥାନସବୁ ଦେଖିଲା ପରି ବୋଧହୁଏ, ଆଉ ଏକପ୍ରକାର ଆନନ୍ଦ ଅନୁଭବ ହୁଏ ।

 

ଆଉ ଗୋଟିଏ କଥା ଅଛି ଯେ ସମସ୍ତଙ୍କ ଲେଖାରେ ସମାନ ମାଧୁର୍ଯ୍ୟ ଥାଏନାହିଁ । ଏହି ପୁସ୍ତକର ଲେଖା କବିବର ରାଧାନାଥ ରାୟଙ୍କର ସଂଶୋଧନ ବଳରୁ ହେଉ ଅବା ଶଶିଭୂଷଣବାବୁଙ୍କର ସ୍ଵକୀୟ ଲେଖିବା ଚାତୁରୀରୁ ହେଉ ଶ୍ରୁତିମଧୁର ଓ ମନୋମୁଗ୍ଧକର ହୋଇଅଛି-। ଦେଶାଟନରୁ ଯାହା ଯାହା ଜାଣିବାର ଆବଶ୍ୟକ, ପ୍ରାୟ ତାହା ସବୁ ପୁସ୍ତକପାଠରୁ ଜଣାଯାଉଅଛି-। ରେଳମାର୍ଗରେ ଯାତାୟାତ କରିଥିବାରୁ ସେ ସକଳ ସ୍ଥାନ ଦେଖିପାରିନାହାନ୍ତି । ଯେଉଁ ଯେଉଁ ସ୍ଥାନ ସେ ଦେଖିପାରିନାହାନ୍ତି ଏପରି ଅନେକ ସ୍ଥାନର ଉଲ୍ଲେଖଯୋଗ୍ୟ ବିବରଣ ବିବୃତ କରିବାରେ ତ୍ରୁଟି କରିନାହାନ୍ତି । ବହୁଦର୍ଶୀ ବିଜ୍ଞମାନଙ୍କର କଥା କହିନପାରେ, ମୋହୋର ସମଶ୍ରେଣୀର ପାଠକମାନେ ଏହା ପାଠକଲେ କେତେଗୁଡ଼ିଏ ଶିକ୍ଷାଲାଭ କରିପାରିବେ । ରାୟବଂଶୀୟଙ୍କର ରଚନାରେ ଗୋଟିଏ ବିଶେଷତ୍ୱ ଅଛି-। ସେମାନେ ଯେତେ ରଚନା କରୁଅଛନ୍ତି, ତହିରେ ନୂତନ ନୂତନ ଶବ୍ଦରୂପ ଅଳଙ୍କାର ଦାନରେ ଉତ୍କଳ-ଭାରତୀଙ୍କ ଶୋଭାବର୍ଦ୍ଧନ କରୁଅଛନ୍ତି ।

 

ପୁସ୍ତକ ମଧ୍ୟରେ ଇଂରେଜୀ ବର୍ଣ୍ଣାନଭିଜ୍ଞ ପାଠକମାନଙ୍କ ପକ୍ଷେ ଗୋଟିଏ ଅସୁବିଧା ଦେଖିଲି କି, କେତେକ ଇଂରେଜୀ ଶବ୍ଦ ଇଂରେଜୀ ଅକ୍ଷରରେ ଲେଖାହୋଇଅଛି, ତାହା ଆଉ ଓଡ଼ିଆ ଅକ୍ଷରରେ ଲେଖା ହୋଇନାହିଁ; ଯଥା ୫୨ ପୃଷ୍ଠାରେ ‘‘ରାଓ ମହୋଦୟ ଆଗାମୀ କଲ୍ୟ ମୋତେ ଗୋଦବରୀର Anicut ଏବଂ ଧବଳେଶ୍ୱର ମହାଦେବଙ୍କର ମନ୍ଦିର ଏବଂ କ୍ଷୁଦ୍ର ସହର ଦେଖିଯିବାକୁ ପରାମର୍ଶ ଦେଲେ” –ଏଠାରେ ‘ଗୋଦାବରୀର’ ପାଠକରି ଅଟକି ରହିବେ କିମ୍ବା ଗୋଦାବରୀର ଏବଂ ଧବଳେଶ୍ଵର ପଢ଼ିଲେ ଠିକ୍ ହେବ ନାହିଁ । ‘ଗୋଦାବରୀର ଏନିକଟ୍ (Anicut) ଏବଂ ଧବଳେଶ୍ୱର’ ଏଭଳି ଲେଖାହୋଇଥିଲେ ଉକ୍ତ ଅସୁବିଧା ରହନ୍ତାନାହିଁ, ଏପରି ସ୍ଥଳମାନଙ୍କରେ ଇଂରେଜୀ ବର୍ଣ୍ଣାନଭିଜ୍ଞ ପାଠକମାନେ ତହିଁରେ ଭାବଗ୍ରହଣରୁ ବଞ୍ଚିତ ହେବାର ସମ୍ଭାବନା ।

 

ଯେଉଁ ପୁସ୍ତକ ଉତ୍କଳଗୌରବ ଶ୍ରୀଯୁକ୍ତ ବାବୁ ରାଧାନାଥ ରାୟ ମହୋଦୟଙ୍କ ଦ୍ୱାରା ସଂଶୋଧିତ ହୋଇଅଛି, ତହିଁରେ ମୋର ଏପରି କହିବାର ନିଜର ନିର୍ବୋଧତାର ପରିଚାୟକ ହୋଇପାରେ ।

***